ଏବେ ଏକାନ୍ତରେ,
ନୀଳ ସରୋବରୁ ପଦୁଅଁ ମରେ
ଶୁଭ୍ର ଶୁଭାସିତ ସ୍ୱର୍ଣ୍ଣ ସହରେ
ନିମିଷେ ସ୍ୱର୍ଣ୍ଣିମ ବୈଭବ ସରେ ।।
ଏବେ ଏକାନ୍ତରେ,
ଅଦିନେ ବଉଦୁ ବରଷା ଝରେ
ଦୁର୍ଲଭ ଲୋହିତ ତାଜା ଗୋଲାପୁ
କ୍ଷଣିକେ ମଧୁର ବାସ ଉତୁରେ ।।
ଏବେ ଏକାନ୍ତରେ,
କଣ୍ଟକିତ ବନ ପଥ ମଝିରେ
ଚାଲୁ ଚାଲୁ ଯେବେ ଥକି ପଡେ ମୁଁ
ସପନ ଭାଙ୍ଗଇ ଅଧା ନିଦରେ ।।
ଏବେ ଏକାନ୍ତରେ,
ଢେଉ ନ ଉଠଇ ପ୍ରୀତି ସାଗରେ
ରଜନୀ ଆକାଶେ ପୂର୍ଣ୍ଣମୀ ଇନ୍ଦୁ
କାନ୍ଦଇ ଅଧିରେ ପ୍ରେମ ଆତୁରେ ।।
ଏବେ ଏକାନ୍ତରେ,
ହାହାକାର ଉଠେ ହୃଦୟ ପୂରେ
ବିନା ମେଘ ପୁଣି ବିନା ଝଡରେ
ନାବ ନ ଲାଗଇ ସାଗର ତୀରେ ।।
ଏବେ ଏକାନ୍ତରେ,
ବିନା ଯୁଦ୍ଧେ ପଡେ ଚକ୍ରବ୍ୟୁହରେ
ଚାଲୁ ଚାଲୁ ପଥ ଜୀର୍ଣ୍ଣ ହୃଦୟେ
ପାଦ ଖସିଯାଏ ଚୋରାବାଲିରେ ।।
ଏବେ ଏକାନ୍ତରେ,
ଲିଭିଯାଏ ହସ ଦୁସ୍ଥ ଅଧରେ
ପ୍ରାଣହୀନ ସେହି ଦୂର ପ୍ରାନ୍ତରେ
ଜଳେ ଏ ଜୀବନ ତପ୍ତ ସମୀରେ ।।
ଏବେ ଏକାନ୍ତରେ,
ଲହୁ ଝରେ ଏ ରକ୍ତିମ ଆଖିରେ
କୋଳାହଳ ଭରା ହାଟ ମଝିରେ
ନ ଗୁଞ୍ଜରେ ଶବ୍ଦ କର୍ଣ୍ଣ କୋଟରେ ।।
ହଜିଯାଏ ପଥ ରାତ୍ରି ଅନ୍ଧାରେ
ଅଣ୍ଡାଳି ଏ ପଥ ଖୋଜିଲା ବେଳକୁ
ଜୀବ ଏ ନଥିଲା ଦୁର୍ବଳ କରେ ।।
ତୁମେ ଗଲା ପରେ,
ଏବେ ଏକାନ୍ତରେ,
ଏବେ ଏକାନ୍ତରେ ।।
No comments yet.